ନୂଆଦିଲ୍ଲୀ: ଦିଲ୍ଲୀର ନିର୍ବାଚିତ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆମ୍ ଆଦ୍ମି ପାର୍ଟି (ଆପ୍) ସରକାର ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ)ଙ୍କ ମଧ୍ୟରେ କ୍ଷମତା ପାଇଁ ଦୀର୍ଘଦିନ ଧରି ଯେଉଁ ଲଢ଼େଇ ଜାରି ରହିଥିଲା, ସେଥିରେ ଗତକାଲି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ।
ଏସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟଙ୍କ ଏକ ପାଞ୍ଚ ଜଣିଆ ସାମ୍ବଧାନିକ ଖଣ୍ଡପୀଠ ସ୍ପଷ୍ଟ କରି ଦେଇଛନ୍ତି ଯେ ଦିଲ୍ଲୀର ଶାସନ ଚଳାଇବେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ଦିଲ୍ଲୀ ସରକାର। ଏବଂ ଦିଲ୍ଲୀର ନିର୍ବାଚିତ ସରକାର ହିଁ ହେଉଛନ୍ତି ଶାସନ ଓ ପ୍ରଶାସନିକ ମୁଖ୍ୟ। ଏଥିରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କର କୌଣସି ସ୍ୱତନ୍ତ୍ର ଭୂମିକା ନାହିଁ। ଏଥିସହ ଲେଫଟ୍ନାଣ୍ଟ ଗଭର୍ଣ୍ଣରଙ୍କୁ କ୍ୟାବିନେଟ୍ର ପରାମର୍ଶ ଓ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବାକୁ ପଡ଼ିବ। କ୍ୟାବିନେଟ ନିଷ୍ପତ୍ତିକୁ ଅଟକାଇ ରଖିବା ପାଇଁ କୌଣସି କ୍ଷମତା ଲେଫଟ୍ନାଣ୍ଟ ଗଭର୍ଣ୍ଣରଙ୍କର ନାହିଁ ବୋଲି କହିବା ସହ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିର୍ବାଚିତ ସରକାରଙ୍କ ସହ ମିଶି କାମ କରିବା ଉଚିତ ବୋଲି ସୁପ୍ରିମ୍ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ତାଙ୍କ ରାୟରେ ସ୍ପଷ୍ଟ କରି ଦେଇଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୬, ଅଗଷ୍ଟ ୪ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଲେଫଟ୍ନାଣ୍ଟ ଗଭର୍ଣ୍ଣରଙ୍କୁ ଦିଲ୍ଲୀର ପ୍ରଶାସନିକ ମୁଖ୍ୟ ବୋଲି ରାୟ ଦେଇଥିଲେ। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଓ ଲେଫଟ୍ନାଣ୍ଟ ଗଭର୍ଣ୍ଣର ମୁହାଁମୁହିଁ ହୋଇଥିଲେ। ଏବଂ ଦିଲ୍ଲୀ ହାଇକୋର୍ଟର ଏହି ରାୟକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆପ୍ ସରକାର ଏକ ଯାଚିକା ଆଗତ କରିଥିଲେ।
ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏ ଏମ୍ ଖାନ୍ଓ୍ଵିଲ୍କର, ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଏ କେ ସିକ୍ରି ଓ ଜଷ୍ଟିସ୍ ଅଶୋକ ଭୂଷଣ ନେଇ ଗଠିତ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ବିଚାର କରି ଉପରୋକ୍ତ ରାୟ ଦେବା ସହ ଦେଶର ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଠାରୁ ଦିଲ୍ଲୀ ସ୍ୱତନ୍ତ୍ର ହୋଇଥିବା ଦୃଷ୍ଟିରୁ ଦିଲ୍ଲୀକୁ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ରାୟରେ ଉଲ୍ଲେଖ କରିଛନ୍ତି।
A big victory for the people of Delhi...a big victory for democracy...
— Arvind Kejriwal (@ArvindKejriwal) July 4, 2018
ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ପରେ ଦିଲ୍ଲୀର ଶାସନ ଓ କ୍ଷମତାର ଦଣ୍ଡ କାହା ହାତରେ ରହିବ- ନିର୍ବାଚିତ ସରକାର ନା ଲେଫଟ୍ନାଣ୍ଟ ଭଗର୍ଣ୍ଣର- ବୋଲି ଯେଉଁ ଲଢ଼େଇ ଓ ବିବାଦ ଦୀର୍ଘଦିନ ଧରି ଚାଲିଥିଲା, ସେଥିରେ ଯବନିକା ପତନ ଘଟିଛି। ସୁପ୍ରମ୍ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ସୁପ୍ରମ୍ କୋର୍ଟଙ୍କ ଏହି ରାୟ ଫଳରେ ଦିଲ୍ଲୀର ଜନତା ଓ ଗଣତନ୍ତ୍ରର ବିଜୟ ଘଟିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ। ସେହିପରି ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଲୋକତନ୍ତ୍ରରେ ଜନତାଙ୍କୁ ହିଁ ଅଧିକାର ମିଳେ। ଜନତାଙ୍କ ସପକ୍ଷରେ ରହିଛି ସୁପ୍ରିମ କୋର୍ଟଙ୍କ ରାୟ। ଦିଲ୍ଲୀରେ ଆଉ ଲେଫଟ୍ନାଣ୍ଟ ଗଭର୍ଣ୍ଣରଙ୍କ ମନମାନି ଚଳିବନାହିଁ, ଦିଲ୍ଲୀବାସୀଙ୍କ ଦ୍ୱାରା ନିର୍ବାଚିତ ସରକାର ଏବେ ଦିଲ୍ଲୀ ଚଳାଇବେ ବୋଲି କହିଛନ୍ତି ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।
ଅନ୍ୟ ପକ୍ଷରେ ସୁପ୍ରିମ୍ କୋର୍ଟଙ୍କ ଏହି ରାୟକୁ ଦେଶର ସମସ୍ତ ରାଜନୈତିକ ଦଳ ସ୍ୱାଗତ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ, ଏହି ମାମଲାରେ ବିଜେପି ଏକ ଘରକିଆ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। କାରଣ, ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ହାତବାରିସ୍ କରି ଦିଲ୍ଲୀର ସବୁ ମାମଲାରେ ହସ୍ତକ୍ଷେପ କରୁଥିବା କେନ୍ଦ୍ରର ବିଜେପି ସରକାର ପାଇଁ ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ଏକ ବଡ଼ ଧକ୍କା ସଦୃଶ ହୋଇଛି। ତଥାପି ଦଳର ଇଜ୍ଜତ ରକ୍ଷା କରିବାକୁ ଯାଇ ବିଜେପି ପ୍ରବକ୍ତା ସମ୍ବିତ୍ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ପରେ କେଜ୍ରିଓ୍ଵାଲ ଆଉ ଅରାଜକତା ସୃଷ୍ଟି କରିପାରିବେ ନାହିଁ; କିମ୍ବା ଦିଲ୍ଲୀକୁ ରାଜ୍ୟ ପାହ୍ୟା ଦେବାକୁ କେନ୍ଦ୍ର ନିକଟରେ ଦାବି କରିପାରିବେ ନାହିଁ।